ଭୁବନେଶ୍ୱର, ୨୪/୦୩ : ମହିଳାଙ୍କ ଆର୍ଥିକ ସଶକ୍ତିକରଣ କେବଳ ପରିବାରକୁ ନୁହେଁ, ସମଗ୍ର ସମାଜ ଓ ରାଜ୍ୟର ଉନ୍ନତିର ଏକ ନୂତନ ପ୍ରାରମ୍ଭ। ଏହି ଦୃଷ୍ଟିକୋଣକୁ ଆଗରେ ରଖି ଓଡ଼ିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ମା’ମାନଙ୍କୁ ସ୍ୱାବଲମ୍ବୀ, ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ସୁଧ ଫେରସ୍ତ ପରି ପ୍ରଭାବଶାଳୀ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମିଶନ ଶକ୍ତି ଭବନ, ଭୁବନେଶ୍ୱର ଠାରେ “ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ୨,୬୭,୧୩୧ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୦୮.୩୫ କୋଟି ଟଙ୍କାରୁ ଅଧିକ ସୁଧ ଫେରସ୍ତ ରାଶି ପ୍ରଦାନ କରାଯାଇଛି।ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ,“ମହିଳାଙ୍କ ଆର୍ଥିକ ସ୍ୱାଧୀନତା ହେଉଛି ପରିବାର ଓ ସମାଜର ଦୃଢ଼ ଭିତ୍ତିଭୂମି, ଯାହା ରାଜ୍ୟର ସାମଗ୍ରିକ ଉନ୍ନତିକୁ ଆଗେଇ ନେଉଛି। ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆଜି କେବଳ ଅର୍ଥ ସଞ୍ଚୟ ଓ ଋଣ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ସଫଳ ଉଦ୍ୟୋଗୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜୁଛନ୍ତି।” ସେ ଆହୁରି କହିଛନ୍ତି ଯେ,“ସୁଧ ଫେରସ୍ତ ଯୋଜନା ମାଧ୍ୟମରେ ମହିଳାମାନେ ନିର୍ଭୟ ଭାବେ ବ୍ୟାଙ୍କରୁ ଋଣ ଗ୍ରହଣ କରି ନିଜ ଉଦ୍ୟୋଗକୁ ବିସ୍ତାର କରିପାରୁଛନ୍ତି, ଯାହା ସେମାନଙ୍କୁ ଆର୍ଥିକ ଭାବେ ଆତ୍ମନିର୍ଭର କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ନୂତନ ପଥ ପ୍ରଦର୍ଶନ କରୁଛି। ଆମ ଲକ୍ଷ୍ୟ କେବଳ ମହିଳାଙ୍କୁ ସହାୟତା ଦେବା ନୁହେଁ, ବରଂ ସେମାନଙ୍କୁ ଜବ୍ ସିକର୍ ରୁ ଜବ୍ କ୍ରିଏଟର୍ ଭାବେ ପରିଣତ କରିବା” ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ଏହା ସହିତ, ଏହି ଅବସରରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ୩୫୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬୪୩.୪୫ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି, ୧୮୦ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘଙ୍କୁ ୫୭୦୫ ଲକ୍ଷ ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ଏବଂ ୧୦୧ଟି ଆଞ୍ଚଳିକ ମଞ୍ଚଙ୍କୁ ୧୪୦.୬୭ ଲକ୍ଷ ଟଙ୍କାର ନିରାପତ୍ତା ପାଣ୍ଠି ପ୍ରଦାନ କରାଯାଇଛି। ଏହି ଧନରାଶି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିଜ ଉଦ୍ୟୋଗକୁ ବିସ୍ତାର କରିବା ସହିତ ନୂତନ ଉଦ୍ୟୋଗ ଆରମ୍ଭ କରିବେ ଯାହା ସେମାନଙ୍କୁ ଆର୍ଥିକ ଭାବେ ଆହୁରି ସଶକ୍ତ ଓ ଆତ୍ମନିର୍ଭର କରିବାରେ ସହାୟକ ହେବ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ମିଶନ ଶକ୍ତି ବିଭାଗର ଏହି ପଦକ୍ଷେପ ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଓ ବିକଶିତ ଓଡ଼ିଶା ଗଠନ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣିତ କରୁଛି।
![]()
