- ଆଇଆଇଏମସିର ୫୭ତମ ସମାବର୍ତ୍ତନ ଉତ୍ସବରେ ‘ଡ. ହରେକୃଷ୍ଣ ମହତାବ ସ୍ମୃତି ସମ୍ମାନ’ରେ ସମ୍ମାନିତ
- ଉପ-ରାଷ୍ଟ୍ରପତିଙ୍କ ହାତରୁ ଗ୍ରହଣ କଲେ ପୁରସ୍କାର
- ଆଦର୍ଶ ପ୍ଲସ ବ୍ୟୁରୋ ,୨୮/୦୨/୨୬: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଥିବା ଦେଶର ଶୀର୍ଷ ଗଣମାଧ୍ୟମ ଶିକ୍ଷାନୁଷ୍ଠାନ ‘ଭାରତୀୟ ଜନସଞ୍ଚାର ସଂସ୍ଥାନ’ (IIMC), ର ୫୭ତମ ସମାବର୍ତ୍ତନ ଉତ୍ସବ ସ୍ଥାନୀୟ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସମାରୋହରେ ଓଡ଼ିଶାର ଉଦ୍ୟମାନ ଯୁବ ସାମ୍ବାଦିକ ଆଶୁତୋଷ ପାଢ଼ୀଙ୍କୁ ସମ୍ମାନଜନକ ‘ଡ. ହରେକୃଷ୍ଣ ମହତାବ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଉପ-ରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନ୍ ଆଶୁତୋଷଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଯୁବ ସାମ୍ବାଦିକମାନେ ସତ୍ୟନିଷ୍ଠ ଓ ସକାରାତ୍ମକ ସାମ୍ବାଦିକତା ଜରିଆରେ ସମାଜ ଗଠନରେ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ।
ଆଶୁତୋଷ ପାଢ଼ୀ ଆଇଆଇଏମସିରୁ ସାମ୍ବାଦିକତାରେ ସ୍ନାତକୋତ୍ତର (PG Diploma) ଡିଗ୍ରୀ ହାସଲ କରିବା ସହିତ ନିଜର ଅସାଧାରଣ ପ୍ରତିଭା ପାଇଁ ଏହି ସ୍ମୃତି ସମ୍ମାନର ଅଧିକାରୀ ହୋଇଛନ୍ତି। ତାଙ୍କ ସହ ଓଡ଼ିଆ ସାମ୍ବାଦିକତା ବିଭାଗର ଦିବାଲିନ ବେହେରାଙ୍କୁ ମଧ୍ୟ ଆଇଆଇଏମସି ଆୱାର୍ଡରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂସ୍ଥାନର କୁଳପତି ପ୍ରଜ୍ଞା ପାଲିବାଲ ଗୌଡ ମଧ୍ୟ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ଆଶୁତୋଷ ପାଢ଼ୀ ପୂର୍ବରୁ ଜଣେ ଦକ୍ଷ ନ୍ୟୁଜ୍ ଆଙ୍କର୍ ଓ ରିପୋର୍ଟର ଭାବେ ଗଣମାଧ୍ୟମ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସେ ଏକ ସରକାରୀ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି। ଜାତୀୟ ସ୍ତରର ଏହି ସଫଳତା ପାଇଁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଆଗାମୀ ଦିନରେ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚତର ଶିକ୍ଷା ଗ୍ରହଣ କରି ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଆଶୁତୋଷ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
![]()
